ଟ୍ରାଫିକ ଜାମ, ଚାଲିଗଲା ୪ ବର୍ଷ ଶିଶୁର ଜୀବନ, ଦାୟୀ କିଏ ?

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରାଫିକ ଜାମରେ ଫସି ଚାଲିଗଲା ଏକ ନିଷ୍ପାପ ୪ବର୍ଷ ଶିଶୁ କନ୍ୟାର ଜୀବନ । ତାହା ପୁଣି ଭୁବନେଶ୍ୱର ର ଲୋୟର ପିଏମଜିରେ । ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ରେ ଘଟିଛି । ଏହି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ? ଏବଂ ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି ଚାପିଦେବାକୁ ଚେଷ୍ଟା କରାଯାଉଥିଲା ? ଏହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ । ଘଟଣା ସ୍ଥଳ ନିକଟରେ ତିନୋଟି ଥାନା ଥାଇ ମଧ୍ୟ କୌଣସି ବରିଷ୍ଠ ଅଧିକାରୀ କିମ୍ବା ଏସଆଇ ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ଯଦି ଠିକ ସମୟରେ ସେମାନେ ପହଞ୍ଚିଥାନ୍ତେ ତେବେ ହୁଏତ ଶିଶୁଟିର ଜୀବନ ବଞ୍ଚିଯାଇଥାନ୍ତା ।

ସୂଚନା ଅନୁଯାୟୀ, ଗତକାଲି ଦିନରେ ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟା ଖେଳୁ ଖେଳୁ ପାଣି ଟାଙ୍କିରେ ପଡିଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ଛୁଆକୁ ନଦେଖିବାରୁ ଘରଲୋକ ଖୋଜିବା ଆରମ୍ଭ କରିଥିଲେ ଓ ଶିଶୁଟିକୁ ଅଚେତ ଅବସ୍ଥାରେ ପଣିଟାଙ୍କିରୁ ଉଦ୍ଧାର କରିଥିଲେ । ତୁରନ୍ତ ଆମ୍ବୁଲାନ୍ସ ରେ ଘରର ସବୁଠାରୁ ନିକଟସ୍ଥ ନୀଳାଚଳ ହସ୍ପିଟାଲକୁ ନେଉଥିଲେ । ଆଶାଥିଲା ହସ୍ପିଟାଲରେ ଶୀଘ୍ର ପହଁଚିଲେ ଝିଅର ଜୀବନ ବଞ୍ଚିଯିବ । କିନ୍ତୁ ଭାଗ୍ୟର ଖେଳଥିଲା ଭିନ୍ନ । ଆମ୍ବୁଲାନ୍ସ ଟି ବିଗ ବଜ଼ାର-ମାଳିସାହି ରାସ୍ତାରେ ଅଟକି ଗଲା । ରାସ୍ତା ଜାମ ଥିବାରୁ ଆମ୍ବୁଲାନ୍ସ ଚାଳକ ଗାଡିକୁ ଫେରାଇ ସ୍ୱସ୍ତି ଗ୍ରାଣ୍ଡ ରାସ୍ତା ଦେଇ ନେଉଥିଲେ । ମାତ୍ର ଧାରଣା ସ୍ଥଳରେ ଏକାବେଳେ ୮ଟି ସଂଗଠନ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ଥିବାରୁ ରାଜମହଲ ରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ରୂପେ ଜାମ ଥିଲା । ଆମ୍ବୁଲାନ୍ସରୁ ପରିବାର ଲୋକେ ବାହାରି ଲୋକଙ୍କୁ ହାତଯୋଡି ନିବେଦନ କଲେ ମଧ୍ୟ ଶୁଣିବାକୁ କେହି ନଥିଲେ । ସବୁଆଡେ କେବଳ ଗାଡି ଓ ଲୋକ ଯିବାକୁ ବାଟନାହିଁ । ଏପରିକି ନିକଟସ୍ଥ ଗଳିକୁ ଯିବାକୁ ମଧ୍ୟ ରାସ୍ତାନହିଁ । ଏପରି ପରିସ୍ଥିତି ଦେଖି ଝିଅଟିର ମା’ ଆମ୍ବୁଲାନ୍ସ ରୁ ଓଲ୍ହାଇ କାନ୍ଦି କାନ୍ଦି ଡାକ୍ତରଙ୍କ ପାଖକୁ ଦୌଡ଼ିଥିଲେ । ଶୀଘ୍ର ଡାକ୍ତର ଙ୍କୁ ନେଇ ଝିଅ ପାଖକୁ ଆସି ପହଞ୍ଚିଯିବେ । କିଛି ସମୟର ଅନୁରୋଧ ପରେ ଆମ୍ବୁଲାନ୍ସ ଯାଇ ହସ୍ପିଟାଲରେ ପହଞ୍ଚିଥିଲା ମାତ୍ର ସେତେ ବେଳକୁ ଶିଶୁଟିର ଜୀବନ ଚାଲିଯାଇଥିଲା । ଗତକାଲି ଏକ ରାଲି ରେଲୱେ ଷ୍ଟେସନ ରୁ ଲୋୱର ପିଏମଜି କୁ ଯାଉଥିଲା । ତାକୁ ସୁରକ୍ଷା ଦେଉ ଥିଲେ ପୋଲିସ ।ଏହିପରି କାଲି ଦିନ ୧୧ଟା ରୁ ଦିନ୨.୩୦ ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନରେ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଜାମ ଲାଗିରହିଥିଲା । ଏତେବଡ ସମ୍ବେଦନଶୀଳ ଘଟଣା ରାଜଧାନୀରେ ଘଟିଥିଲେ ମଧ୍ୟ ଏହି ଘଟଣାକୁ ଚାପିଦେବାକୁ ଚେଷ୍ଟା କରାଯାଇଛି । ଏଘଟଣା ସମ୍ୱନ୍ଧରେ ସ୍ଥାନୀୟ ଖାରବେଳନଗର ଥାନା ପୋଲିସ ଠାରୁ ଆରମ୍ଭ କରି ଡିସିପିଙ୍କ ପର୍ଯ୍ୟନ୍ତ କାହାପାଖରେ କୌଣସି ଖବର ନଥିବା କହିଛନ୍ତି ।

ଡିସିପି ଅନୁପ ସାହୁ କହିଛନ୍ତି, ରାଲି ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ମାତ୍ର ସଂଗଠନ ଗୁଡ଼ିକ ଆନ୍ଦୋଳନକାରୀ ଯେତିକି ସଂଖ୍ୟାରେ ଲୋକ ଆଣିବାକୁ ଲେଖୁଛନ୍ତି ତାଠାରୁ ମାତ୍ରାଧିକ ଆନ୍ଦୋଳନକାରୀ ସାମିଲ ହେଉଛନ୍ତି । ସେଥିପାଇଁ ଜୋରିମାନା ଆଦାୟ କରାଯାଉଛି । ଆଗାମୀ ଦିନରେ ଏଦିଗରେ କଠୋର ପଦକ୍ଷେପ ନିଆଯିବ ।
ଏହିପରି ଦୁଇବର୍ଷ ତଳେ ବାଣୀବିହାର ଛାତ୍ରଙ୍କ ରାସ୍ତାରୋକ ଫଳରେ ଟ୍ରାଫିକ ଜାମରେ ଫସି ଜଣେ କାର୍ଯ୍ୟରତ ମହିଳାଙ୍କ ଗାଡି ଭିତରେ ମୃତ୍ୟୁ ହୋଇଯାଇଥିଲା । ମାତ୍ର ଏସବୁ ଘଟଣା ମଧ୍ୟରେ ରାଜଧାନୀବାସୀ ଅନେକ ପ୍ରଶ୍ନ କରିଛନ୍ତି, ଯଦି ଧାରଣା ପାଇଁ ସ୍ଥାନ ନିର୍ଦ୍ଧାରିତ ଅଛି ତେବେ ସେମାନେ ରାଜମହଲ ରୁ ରାଲି କିପରି କରୁଛନ୍ତି ? ଟ୍ରାଫିକ ପ୍ରତି ଧ୍ୟାନ କାହିଁକି ଦିଆଯାଉ ନାହିଁ ? ସ୍କୁଲରୁ ଘରକୁ ଫେରୁଥିବା ପିଲା କାହିଁକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେ ? ଗତକାଲି ଯେପରି ଟ୍ରାଫିକ ଜାମରୁ ଏକ ଶିଶୁର ଚିକିତ୍ସା ବିନା ଜୀବନ ଚାଲିଗଲା ସେପରି ପୁନର୍ବାର ଘଟିବନାହିଁ ତାହାର ଗ୍ୟାରେଣ୍ଟି କିଏ ଦେବ ?

ଅପରପକ୍ଷରେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ଉପୁଜିଲେ fm ରେଡ଼ିଓ ଏବଂ led ମାଧ୍ୟମରେ ଲୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା ଥିଲା। ମାତ୍ର ପୋଲିସ ଏଭଳି କରିଥିଲା କି ? ଟ୍ରାଫିକ ଜାମ ନେଇ ପୂର୍ବରୁ ସୂଚନା ନ ଦେଇ ଲୋକଙ୍କୁ ମରଣ ମୁହଁକୁ ଠେଲିବା କି ପ୍ରକାର ନ୍ୟାୟ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.