ଦିଲ୍ଲୀ ପୋଲିସ, କେଜ୍ରିଓ୍ବାଲଙ୍କ ଟୁଇଟର ଯୁଦ୍ଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀବାସୀଙ୍କ ସୁରକ୍ଷା ଚିନ୍ତା ଘାରିଛି । ୨୪ଘଣ୍ଟା ଭିତରେ ୯ ହତ୍ୟାକାଣ୍ଡ ଘଟିବା ପରେ ଦିଲ୍ଲୀ ପୋଲିସକୁ ଟାର୍ଗେଟ କରି ଟୁଇଟ କରିଛନ୍ତି କେଜ୍ରିୱାଲ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ରାଜଧାନୀ ଦିଲ୍ଲୀରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଛି । ବସନ୍ତ ବିହାର ଅଞ୍ଚଳରେ ବୃଦ୍ଧ ଦମ୍ପତି ଓ ସେମାନଙ୍କ ଚାକରଙ୍କୁ ହତ୍ୟା ସମେତ ଗତ ୨୪ ଘଣ୍ଟାରେ ୯ ହତ୍ୟାକାଣ୍ଡ ଘଟିଛି ।

ଦିଲ୍ଲୀବାସୀ ସେମାନଙ୍କ ସୁରକ୍ଷା ପାଇଁ କାହା ପାଖକୁ ଯିବେ ବୋଲି କେଜ୍‌ରିଓ୍ବାଲ ସୋସିଆଲ ମିଡିଆରେ ଟୁଇଟ୍‌ କରିବା ପରେ ଦିଲ୍ଲୀ ପୋଲିସ ଏହାର କଡ଼ା ଜବାବ ରଖିଛି । ଦିଲ୍ଲୀ ପୂର୍ବପେକ୍ଷା ସୁରକ୍ଷିତ ରହିଛି ବୋଲି ପୋଲିସ କହିଛି । ଏ ସଂପର୍କିତ ଏକ ଗ୍ରାଫ୍ ଦିଲ୍ଲୀ ପୋଲିସ ପକ୍ଷରୁ ଅପଲୋଡ଼ କରାଯାଇଛି । ୨୦୧୮ ତୁଳନାରେ ଏ ବର୍ଷ ଅପରାଧ କମିଛି ବୋଲି ଏହି ଗ୍ରାଫରେ ଦର୍ଶାଯାଇଛି । ରାଜଧାନୀର ଆଇନ ଶୃଙ୍ଖଳା ଦାୟିତ୍ୱ କେନ୍ଦ୍ର ସରକାରଙ୍କର ହୋଇଥିବାରୁ କେଜ୍‌ରିଓ୍ବାଲ ପରୋକ୍ଷରେ ଏନ୍‌ଡିଏ ସରକାରଙ୍କୁ ଦୋଷ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସକୁ ନିଜ ଅଧୀନକୁ ଆଣିବା ଲାଗି ଆମ୍‌ ଆଦ୍‌ମୀ ପାର୍ଟି ସରକାର ଦୀର୍ଘଦିନ ହେଲା ଦାବି କରିଆସୁଛି । ଗତ ବର୍ଷ ଦିଲ୍ଲୀ ବିଧାନସଭାରେ ଏଥିପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave A Reply

Your email address will not be published.