ବିକ୍ରି ପାଇଁ ରଖାଯାଇଥିବା ୨ ଶିଶୁ ନର୍ସିଂହୋମେ ରୁ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍‌ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆଚାର୍ଯ୍ୟ ନର୍ସିଂହୋମ୍‌ରୁ ଗୁରୁବାର ସନ୍ଧ୍ୟାରେ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଗୋଟିଏ ଶିଶୁକନ୍ୟା ଓ ଅନ୍ୟଟି ପୁତ୍ର । ଶିଶୁକନ୍ୟାଟି ୧୫ ଦିନର ହୋଇଥିବାବେଳେ ପୁଅଟି ୧ ମାସ ୮ ଦିନର ବୋଲି ଜଣାପଡିଛି । ଉଦ୍ଧାର ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏସ୍‌ଏନ୍‌ଏସ୍‌ୟୁରେ ଭର୍ତ୍ତି କରାଯାଇଛି । ତେବେ ନର୍ସିଂହୋମ୍‌ରେ ଶିଶୁଦ୍ୱୟଙ୍କୁ ବିକ୍ରି କରିବା ପାଇଁ ରଖାଯାଇଥିବା ଜଣା ପଡ଼ିଛି । ଏବେ ପର୍ଯ୍ୟନ୍ତ ଶିଶୁଦ୍ୱୟଙ୍କ ମା’ ବାପାଙ୍କ ସନ୍ଧାନ ମିଳି ନଥିବା ବେଳେ ନର୍ସିଂହୋମ୍‌ରେ କେହି ପ୍ରସବ ପରେ ଶିଶୁ ଦୁହିଙ୍କୁ ଛାଡ଼ି ଚାଲିଯାଇଥିବା କୁହାଯାଉଛି । ଆଜି ସୁଦ୍ଧା ସେମାନଙ୍କ ସମ୍ପର୍କୀୟ ନ ମିଳିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ସିଡବ୍ଲ୍ୟୁସି ଅଧ୍ୟକ୍ଷା ବିଶେଶ୍ୱରୀ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନର୍ସିଂହୋମ୍‌ଟି ବେଆଇନ ଭାବେ ପରିଚାଳିତ ହେଉଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ଜଗତ୍‌ସିଂହପୁରରେ ଶିଶୁ ବିକ୍ରି ର଼୍ୟାକେଟ୍‌ ସକ୍ରିୟ ଥିବା ସନ୍ଦେହ ଘନୀଭୂତ ହୋଇଛି ।

ସୂଚନା ଅନୁଯାୟୀ, ଉକ୍ତ ନର୍ସିଂହୋମ୍‌ରେ ୨ ପିଲାଙ୍କ ବିକ୍ରି କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ସାରିଥିବା ନେଇ ଏକ ଅଜଣା ମୋବାଇଲ ନଂ ରୁ କଲ ଆସିଥିଲା । ଏହାପରେ ଗୁରୁବାର ଅପରାହ୍ନ ୫ତା ସୁଦ୍ଧା ଏକାଧିକ ସରକାରୀ ଅଧିକାରୀ ସେହି ନର୍ସିଂ ହୋମରେ ପହଁଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ମହାନ୍ତି, ସଭ୍ୟ ଜ୍ୟୋତିର୍ମୟୀ ମହାନ୍ତି, ଉତ୍କଳ ମହାନ୍ତି, ଏଡିଏମ୍‌ଓ ଡା. ମହେଶ୍ୱର ପ୍ରଧାନ, ଏଡିଏମ୍‌ଓ ଡା.ବସନ୍ତ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) କାହ୍ନୁ ଚରଣ ରାଉତ ଓ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ଉଦୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.