ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନ ୪ଟାରେ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ଥିଲା ବିଜେପିକୁ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା କର୍ଣ୍ଣାଟକ ରାଜନୀତି। ମାତ୍ର ଆଜି ୪ଟା ରେ ୟେଦ୍ୟୁରପ୍ପା ନିଜ ବହୁମତ ସାବିତ କରିବା ବଦଳରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶେଷରେ କର୍ଣ୍ଣାଟକ ବାଜି ଜିତିବାକୁ ଜେଡ଼ିଏସ-କଂଗ୍ରେସ ମେଣ୍ଟ ଓ ବିଜେପି ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି।
ଘଟଣା କ୍ରମେ
ରାଜ୍ୟପାଳ ଶ୍ରୀ ବାଲା ବିଜେପି ବିଧାୟକ ଦଳ ନେତା ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସହ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ୍ କୋର୍ଟ ଯାଇଥିଲେ । ଅଭିଷେକ ସିଙ୍ଗଭିଙ୍କ ପିଟିସନ୍ କୁ ରାତି ଗୋଟାଏ ବେଳେ ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ବିଚାର ପାଇଁ ଅନୁମତି ଦେଇ ଏକ ତିନିଜଣିଆ ବେଞ୍ଚ ଗଠନ କରିଥିଲେ । ଏହି ବେଞ୍ଚରେ ଜଷ୍ଟିସ୍ ଜଷ୍ଟିସ୍ ଏସ.ଏ ବବଡ଼େ , ଏ.କେ.ସିକ୍ରି ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ଥିଲେ। ଉଭୟ ପକ୍ଷର ଯୁକ୍ତିକୁ ଦୀର୍ଘ ସାଢ଼େ ତିନିଘଣ୍ଟା ଧରି ଶୁଣିବା ପରେ ପାହାନ୍ତା ପ୍ରାୟ ୫ଟାରେ ତିନିଜଣିଆ ବେଞ୍ଚ ସେମାନଙ୍କ ରାୟ ଦେଇଥିଲେ । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଡିଭିଜନ୍ ବେଞ୍ଚ ମନା କରିଦେଇଥିଲେ । ଶୁକ୍ରବାର ଦିନ ୧୦ଟାକୁ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାସହ ୟେଦୁରପ୍ପାଙ୍କୁ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କ ତାଲିକା ପ୍ରଦାନ ଓ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦେଇଥିବା ଦୁଇଟି ଚିଠିକୁ ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବି.ଏସ୍.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ କଂଗ୍ରେସର ପାର୍ଟି ଏହାର ପ୍ରତିବାଦ କରି କର୍ଣ୍ଣାଟକ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ରେ ବସିଥିଲେ।
ଶୁକ୍ରବାର ସୁପ୍ରିମକୋର୍ଟ ବି.ଏସ୍.ୟେଦୁରପ୍ପା ସରକାର କୁ ନିଜ ବହୁମତ ପ୍ରମାଣ କରିବାକୁ କେବଳ ଗୋଟିଏ ଦିନ ସମୟ ଦେଇଥିଲେ। କିନ୍ତୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜେପି ଏବେ ଘୋଡ଼ାବେପାର କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା । ଏପରିକି ବିଜେପିର ଅନେକ ନେତା ଡ଼ରାଇ, ଧମକାଇ ଓ ପ୍ରଲୋଭିତ କରି ଅନ୍ୟ ନେତାଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଏପରିକି ବିଜେପି ନେତା କଂଗ୍ରେସ ବିଧାୟକଙ୍କୁ ଟଙ୍କା ନେଇ ସମର୍ଥନ କରିବାକୁ କହୁଥିବାର ଦୁଇଟି ଅଡ଼ିଓ ଟେପ ଜାରି କରିଛି କଂଗ୍ରେସ ।
ଖାସକରି ନିଜ ବାପାଙ୍କ ଗାଦି ବଞ୍ଚାଇବାକୁ ଏବେ ଘୋଡ଼ାବେପାର କରିବାକୁ ଆଗେଇ ଆସିଛନ୍ତି ପୁଅ ବିଜେୟେନ୍ଦ୍ର ୟେଦ୍ୟୁରପ୍ପା । ଶନିବାର କଂଗ୍ରେସ ଦୁଇଟି ଅଡ଼ିଓ ଟେପ ଜାରି କରି ଅଭିଯୋଗ କରିଛି ଯେ, ଉଭୟ ବାପା ଓ ପୁଅ କଂଗ୍ରେସ ବିଧାୟକଙ୍କୁ ନିଜ ପକ୍ଷରେ ଭୋଟ ଦେବା ପାଇଁ ପ୍ରଲୋଭିତ କରୁଛନ୍ତି । ଗୋଟିଏ ପଟେ ବାପା ବି.ଏସ ୟେଦ୍ୟୁରପ୍ପା କଂଗ୍ରେସ ବିଧାୟକ ବିସି ପାଟିଲଙ୍କ ସହ ଡ଼ିଲ କରୁଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଅନ୍ୟପଟେ ବାପାଙ୍କ ମୁଖ୍ୟମନ୍ତ୍ରୀ ମଦ ବଞ୍ଚାଇବା ପାଇଁ ପୁଅ ବିଜୟେନ୍ଦ୍ର ୟେଦ୍ୟୁରପ୍ପା ମଧ୍ୟ କଂଗ୍ରେସ ବିଧାୟକଙ୍କ ଶ୍ରୀରାମ ହେବ୍ୱରଙ୍କ ପତ୍ନୀଙ୍କ ସହ ଡ଼ିଲ କରୁଥିବାର ଅଡ଼ିଓ ଟେପ ଜାରି କରିଛି କଂଗ୍ରେସ ।
