ରାଜ୍ୟର ୪୭ ଲକ୍ଷ ମହିଳାଙ୍କ ଜୀବନଶୈଳୀକୁ ଉନ୍ନତ କରିଛି ‘ଉଜ୍ଜ୍ୱଳା’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି। “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ବିଚାରଧାରାକୁ କାମରେ ଲଗାଇବା ସହ ମହିଳାଙ୍କ ଉନ୍ନତି ତଥା ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଯୋଗୁଁ ଦେଶର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ପରବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଗରିବ ମହିଳା ଏବଂ ସେମାନଙ୍କ ପରିବାରର ଜୀବନଶୈଳୀକୁ ଉନ୍ନତ କରିଛି। ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଛି । ଦେଶର ଗରିବ ମହିଳାଙ୍କୁ ୮ କୋଟି ଏଲପିଜି ସିଲିଣ୍ଡର ପ୍ରଦାନ, ଜନଧନ ଏବଂ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ôଥକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି। ଏହାସହ ଦେଶର ୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପ୍କିନ୍ ଯୋଗାଇବା ଦିଗରେ ମୋଦୀ ସରକାର ସର୍ବଦା ଆଗୁଆ ରହିଛନ୍ତି । ବେଟି ବଚାଓ ଏବଂ ବେଟି ପଢ଼ାଓ ଓଡ଼ିଶା ସମେତ ଭାରତର ଗ୍ରାମାଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି। ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Leave A Reply

Your email address will not be published.