ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ: ଜାତିସଂଘ

0

କରୋନା ସଂକ୍ରମଣକୁ ଦୃଷ୍ଟିରେ ସାରା ବିଶ୍ୱରେ ଲାଗୁ ହୋଇଥିବା କଟକଣା ପାଇଁ ଅର୍ଥ ବ୍ୟବସ୍ଥା ଅକଳ୍ପନୀୟ ଭାବରେ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ରିପୋର୍ଟ ଅନୁସାରେ ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ । କରୋନା ମହାମାରୀ ପାଇଁ ବିଶ୍ୱର ପ୍ରାୟ ୩୦ ନିୟୁତରୁ ଅଧିକ ଲୋକ ଉତ୍କଟ ଦାରିଦ୍ର୍ୟକୁ ଠେଲି ହୋଇଯିବେ । ବର୍ତ୍ତମାନ କରୋନାରେ ପାଖାପାଖି ୬.୬ ନିୟୁତ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ୩.୯ ଲକ୍ଷ ଲୋକଙ୍କର ମୂଲ୍ୟବାନ ଜୀବନ ଯାଇସାରିଲାଣି । ବିଶ୍ୱର ଏଭଳି ଦୟନୀୟ ପରିସ୍ଥିତିରେ ଆର୍ଥିକ କ୍ଷେତ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାରୁ ବାହାରକୁ ବାହାରିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ବିଶେଷକରି ଅଟୋମୋବାଇଲ, ପର୍ଯ୍ୟଟନ, ତୈଳ କ୍ଷେତ୍ର, ବିଳାସପୂର୍ଣ୍ଣ ସାମଗ୍ରୀ ସହିତ ଜଡ଼ିତ ଥିବା ଆର୍ଥିକ କ୍ଷେତ୍ରଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିବ । ତେବେ ଏ ସଂକ୍ରାନ୍ତରେ ଜାତିସଂଘର ପ୍ରକାଶିତ ରିପୋର୍ଟକୁ ଆଧାର କରି ଏକ ସ୍ୱତନ୍ତ୍ର ଉପସ୍ଥାପନା ନିମ୍ନରେ ପ୍ରଦାନ କରାଗଲା ।

ଅଟୋମୋବାଇଲ ଓ ପର୍ଯ୍ୟଟନ
କରୋନା ଭାଇରସ୍‌ ବିଶ୍ୱର ଅଟୋମୋବାଇଲ ବଜାରକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିସାରିଛି । ଏହି କ୍ଷେତ୍ର ଏଭଳି ଦୟନୀୟ ଅବସ୍ଥା ଆଗରୁ କେବେ ଦେଖାଯାଇ ନ ଥିଲା । ୨୦୨୦ରେ ସାରା ବିଶ୍ୱର ଅଟୋମୋବାଇଲ ବଜାରର ବିକ୍ରି ୨୦% ଖସିବ । ଭାରତରେ ମଧ୍ୟ କମ୍ପାନୀଗୁଡିକ ଗତ ୨ ମାସ ହେବ ପୂରା କ୍ଷତି ସହି ଆସୁଛନ୍ତି । ମାନୁଫାକଚରିଂ ୟୁନିଟକୁ ପୂରା କ୍ଷମତାରେ ଚଳାଇବା ଲାଗି ସମୟ ଲାଗିବ। ସେହିଭଳି ସାରା ବିଶ୍ୱରେ ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରାୟ ୮୦% ହ୍ରାସ ପାଇବ । ଏହି କ୍ଷେତ୍ରକୁ ୧ ଲକ୍ଷ କୋଟି ଡଲାର ଠାରୁ ମଧ୍ୟ ଅଧିକ ରାଶିର କ୍ଷତି ସହିବାକୁ ପଡିବ ବୋଲି ବିଶେଷଜ୍ଞମାନେ ଏକ ପ୍ରାରମ୍ଭିକ ଆକଳନ କରିଛନ୍ତି । ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ଦେଶଗୁଡିକ ଏହାଦ୍ୱାରା ଗଭୀର କ୍ଷତି ସହିବେ । ଏହି ସ୍ଥିତିରେ ସାଧାରଣ ଅବସ୍ଥା କେବେ ଫେରିବ ତାହା କହିବା ଅସମ୍ଭବ । ଏହି କ୍ଷେତ୍ରର ୧୦ କୋଟି ନିଯୁକ୍ତିର ସ୍ଥାୟିତ୍ୱ ଉପରେ ବର୍ତ୍ତମାନ ଆଶଙ୍କା ସୃଷ୍ଟି ହୋଇଛି ।

ବିମାନ ଚଳାଚଳ
କରୋନା ସଂକ୍ରମଣ ପ୍ରତ୍ୟକ୍ଷ ଭାବରେ ନ ବ୍ୟାପିବା ଲାଗି ବିମାନ ଚଳାଚଳ ଉପରେ ଯଥେଷ୍ଟ ପୂର୍ବରୁ କଟକଣା ଲଗାଯାଇଥିଲା । ଏପ୍ରିଲ ମାସରେ ପାସେଞ୍ଜର ଟ୍ରାଫିକ ପାଖାପାଖି ୯୫% ଖସିଛି । ବିଭିନ୍ନ ରିହାତି ପ୍ୟାକେଜ ଦେବା ଲାଗି ସାରା ବିଶ୍ୱରେ ବିମାନ କମ୍ପାନୀଗୁଡିକ ଦାବି ଉଠାଉଛନ୍ତି । ପ୍ରମୁଖ ବିମାନ ପ୍ରସ୍ତୁତକାରୀ କମ୍ପାନୀ ବୋଇଂ, ଏୟାରବସ୍‌ ଭଳି କମ୍ପାନୀଗୁଡିକର ଚାପ ଏବେ ଅବିଶ୍ୱନୀୟ ଭାବରେ ବୃଦ୍ଧି ପାଇଛି । ଯଦି କୌଣସି ସରକାରୀ ସହାୟତା ନ ମିଳେ ତେବେ ଭୟଙ୍କର ଆର୍ଥିକ ପରିସ୍ଥିତି ସୃଷ୍ଟି ହେବ ବୋଲି କମ୍ପାନୀଗୁଡିକ କହିଛନ୍ତି । ବିଭିନ୍ନ ଦେଶରେ ଘରୋଇ ଉଡାଣକୁ ବର୍ତ୍ତମାନ ଅନୁମତି ମିଳିଛି । ଆସନ୍ତା ମାସକ ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ମିଳିପାରେ । ମାତ୍ର ଲୋକଙ୍କ ମନରେ ଭୟ ରହିଥିବାରୁ ଏହି କ୍ଷେତ୍ରରେ ସ୍ୱାଭାବିକ ଅବସ୍ଥା ଫେରିବାରେ ବିଳମ୍ୱ ନିଶ୍ଚିତ ଭାବରେ ହେବ ।

ବିଳାସପୂର୍ଣ୍ଣ ସାମଗ୍ରୀ
ସମଗ୍ର ବିଶ୍ୱରେ ଗତ ୨ମାସ ମଧ୍ୟରେ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକର ବିକ୍ରି ଅବିଶ୍ୱସନୀୟ ଭାବରେ ୮୦% ଖସିଛି । ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହୋଇ ନ ଥିବାରୁ ଏହିଭଳି ସ୍ଥିତି ଉପୁଜିଛି । ବିଭିନ୍ନ ଦେଶରେ ଆର୍ଥିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଧୀରେ ଧୀରେ ଫେରୁଥିବା ବେଳେ ସ୍ଥିତି କେବେ ଶତ ପ୍ରତିଶତ ସୁଧୁରିବ ସେ ନେଇ କହିହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।

ତୈଳ କ୍ଷେତ୍ର
କରୋନା ଯୋଗୁ ବିଶ୍ୱର ଦୁଇ ତୃତୀୟାଂଶ ସ୍ଥାନ ତାଲାବନ୍ଦ ହୋଇଗଲା । ସବୁ କାମ ଠପ୍‌ ହୋଇଯିବା ଯୋଗୁ ତେଲ ଚାହିଦା ଉପରେ ଏହାର ପ୍ରଭାବ ପଡିବା ସ୍ୱାଭାବିକ । ଅଶୋଧିତ ତେଲ ଉତ୍ପାଦନ ଦୈନିକ ଉତ୍ପାଦନ ୩୦ ନିୟୁତ ବ୍ୟାରେଲ ହ୍ରାସ ଘଟିଛି । ତେବେ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ ହଟିବା ପରେ ଏହି ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଚାହିଦା ପୂର୍ବ ସ୍ଥିତିକୁ ଫେରିନାହିଁ । ତେବେ ଲକଡାଉନ କଟକଣାରେ ବୃଦ୍ଧି ନହେଲେ ଏହି କ୍ଷେତ୍ର କିଛିମାସ ମଧ୍ୟରେ ତାର ପୂର୍ବାବସ୍ଥାକୁ ଫେରିବାରେ ସମର୍ଥ ହେବ ।

Leave A Reply

Your email address will not be published.