ମୃତ ମହିଳାଙ୍କୁ ବଞ୍ଚାଇବାକୁ ଝଡାଫୁଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାପକାମୁଡ଼ିବା ପରେ ଗୁରୁତର ମହିଳାଙ୍କୁ ଡାକ୍ତରଖାନା ଆଣିବା ପରିବର୍ତ୍ତେ ପରିବାର ଲୋକେ ପ୍ରଥମେ ଝଡାଫୁଙ୍କାର ଆଶ୍ରୟ ନେଇଥିଲେ । ପରେ ଡାକ୍ତରଖାନା ନେବା ପରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଣି ନେଇଥିଲେ ଗୁଣିଆଙ୍କ ସାହାରା । ଏପରିକି ମୃତକଙ୍କ କାନରେ ଫୋନ ରଖାଯାଇ ଗୁଣିଆଙ୍କ ମନ୍ତ୍ରପାଠ ଶୁଣାଯିବା ଦୃଶ୍ୟ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା ।

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ବାଗଡିଆ ମାଉସୀସାହିର ଟୁକୁନା ବାରିକଙ୍କ ସ୍ତ୍ରୀ ରିଙ୍କି ଶନିବାର ଶୌଚ ହେବାକୁ ଯାଇଥିବାବେଳେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ହେଲେ ରିଙ୍କିଙ୍କ ପରିବାର ଲୋକେ ତାଙ୍କୁ ଗ୍ରାମର ଜଣେ ଗୁଣିଆଙ୍କ ନିକଟକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ରିଙ୍କିଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଙ୍କ ଏହି କଥାକୁ ବିଶ୍ୱାସ ନ କରି ମୃତାଙ୍କ ପରିବାର ଡାକ୍ତରଖାନାକୁ ଜଣେ ଗୁଣିଆଙ୍କୁ ଡକାଇ ଝଡାଫୁଙ୍କା କରିଥିଲେ । କିଛି ସୁଫଳ ନ ମିଳିବାରୁ ଆଉ ଜଣେ ଗୁଣିଆଙ୍କୁ ଫୋନ ଲଗାଯାଇଥିଲା । ସମ୍ପୃକ୍ତ ଗୁଣିଆ ଫୋନ ଯୋଗେ ମୃତାଙ୍କ କାନରେ ମନ୍ତ୍ର ପଢିଥିବା ଦେଖିବାକୁ ମିଳିଥିଲା । କିଛି ସପ୍ତାହ ପୂର୍ବରୁ ଜଣେ ମହିଳା କନଷ୍ଟେବଳଙ୍କୁ ଡାକ୍ତରଖାନା ପରିସରରେ ଝଡାଫୁଙ୍କା କରାଯାଉଥିବା ଘଟଣା ଦେଖିବାକୁ ମିଳିଥିବାବେଳେ ଶନିବାରର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରେ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

Leave A Reply

Your email address will not be published.