ପୁରୀ କଳି ତୁଟାଇବାକୁ ରାଜା ସ୍ବାଇଁଙ୍କ ଆପାତତ୍ତ ଉଦ୍ୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଞ୍ଜୟଙ୍କ ସହ ବୁଝାମଣା ପାଇଁ ପୁରୀ ପର୍ଯ୍ୟବେକ୍ଷକ ମନ୍ତ୍ରୀ ରାଜା ସ୍ୱାଇଁ ଙ୍କ ପ୍ରୟାସ । ଦୁଇଦିନ ତଳେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ଷ୍ଟାର ପ୍ରଚାରକ ତାଲିକାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଙ୍କ ନାଁ ନଥିବା ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଆଜି ଶଙ୍ଖ ଭବନର ଏକ ଭାଇରଲ ଫଟୋ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଫଟୋରେ ସଞ୍ଜୟ ଦାସବର୍ମା ଏବଂ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କୁ କେବଳ ଏକାଠି ନୁହେଁ ବରଂ ପୁରୀ ପର୍ଯ୍ୟବେକ୍ଷକ ମନ୍ତ୍ରୀ ରାଜା ସ୍ବାଇଁଙ୍କ ଉପସ୍ଥିତିରେ କୋଳକୋଳି ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ରାଜନୈତିକ କାରଣରୁ ଗୋଟିଏ ଦଳରେ ଥାଇ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ମତାନ୍ତର ଥିବା କାହାକୁ ଅଛୁପା ନାହିଁ । ଏହି ମତାନ୍ତର କଂଗ୍ରେସ ନେତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନଙ୍କୁ ନେଇ ସୃଷ୍ଟି ହୋଇଥିଲା । ଲୁଲୁ ଏବଂ ପିନାକୀ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ତେଣୁ ଲୁଲୁଙ୍କ ଅକାଳ ବିୟୋଗ ପରେ ପିନାକୀ ସଞ୍ଜୟ ଙ୍କ ସ୍ଥାନରେ ଲୁଲୁଙ୍କ ଝିଅ କୁ ବିଜେଡିରୁ ବ୍ରହ୍ମଗିରି ପ୍ରାର୍ଥୀ କରିବାକୁ ଚାହୁଁ ଥିବା ନେଇ ୨୦୧୯ରେ ରାଜନୈତିକ ବାତାବରଣ କୁ ସରଗରମ କରିଥିଲା । ଏପରିକି ସଞ୍ଜୟଙ୍କ ପରାଜୟ ପାଇଁ ପିନାକୀ ଗାତ ଖୋଲିଥିବା ନେଇ ଅନେକ ଅଭିଯୋଗ ଶୁଣିବାକୁ ମିଳିଥିଲା । ଯାହାକୁ ନେଇ ସଞ୍ଜୟ ଏବଂ ପିନାକୀଙ୍କ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଥିଲା । ଆଜି ଶଙ୍ଖ ଭବନ ଉଦ୍ଘାଟନୀ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ଏବଂ ପିନାକୀଙ୍କ କୋଳାକୋଳି ଭାଇରଲ ଫଟୋ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ହେଉ ବା ସମଗ୍ର ପୁରୀ ଜିଲ୍ଲା ରାଜନୀତିରେ ୨୦୦୯ ମସିହା ପରଠାରୁ ସଞ୍ଜୟ ଦାସବର୍ମା ଙ୍କ ଦବଦବା ରହିଥିଲା । କିନ୍ତୁ ୨୦୧୯ ରେ ବ୍ରହ୍ମଗିରି ଏବଂ ପୁରୀରେ ବିଜେଡି ପରାସ୍ତ ହେବାପରେ ପିନାକୀ ମିଶ୍ର କିଛି ଲୋକଙ୍କୁ ଧରି ତୃତୀୟ ମହଲା ଇସାରାରେ ପୁରୀରେ ଡିଷ୍ଟର୍ବାନସ କରିବାକୁ ଚାହିଁଲେ । ପରବର୍ତ୍ତୀ ସମୟରେ ତୃତୀୟ ମହଲା ହୃଦୟଙ୍ଗମ କଲା କି ସଞ୍ଜୟ ନରହିଲେ ପୁରୀ ଜିଲ୍ଲା ଲୋକସଭା ଆସନ ସହ ତିନି ଚାରୋଟି ବିଧାନସଭା ଆସନ ବାଧା ପ୍ରାପ୍ତ ହେବ । ତେଣୁ ସେଠାରେ ଜଣେ ଟାଣୁଆ ପର୍ଯ୍ୟବେକ୍ଷକ ରାଜା ସ୍ୱାଇଁ ଙ୍କୁ ପୁରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ରାଜାଙ୍କ ଦ୍ୱାରା ଏକାଧିକ ବୈଠକ ପରେ କିଛିଟା ସୁଫଳ ମିଳିଛି । ତେଣୁ ଶଙ୍ଖ ଭବନ ସଞ୍ଜୟ ଏବଂ ପିନାକୀଙ୍କୁ ଏକାଠି ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ହେଉଛି ।

SOA post below
Leave a comment