ଟ୍ୱିନସିଟିରେ ହେବ କି ବନ୍ୟା ପରିସ୍ଥିତି ?

ଚିନ୍ତାରେ ଟ୍ୱିନସିଟି ବାସିନ୍ଦା । ଲଘୁଚାପ ବର୍ଷା ପ୍ରଭାବରେ ଟ୍ୱିନସିଟିରେ ଦିନସାରା ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା । ଯାହା ଫଳରେ ଏଭଳି ବର୍ଷା ଲାଗିରହିବା ଦ୍ୱାରା ତଳି ଅଞ୍ଚଳରେ ପାଣି ଜମିବା ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଯାହାଦ୍ୱାରା ପାଣି ଜମାଟ ହେଲେ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜିପାରେ ।
ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୨ଘଣ୍ଟାରେ ଲଘୁଚାପର ରୂପ ନେବ । ପରବର୍ତ୍ତି ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ଆସନ୍ତାକାଲି ଓ ୧୪ ତାରିଖ ସୁଦ୍ଧା ଉତର-ପଶ୍ଚିମ ବଂଗୋପସାଗରରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି । ଆଗାମି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି ।
ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ । ଅତ୍ୟଧିକ ବର୍ଷା ଯୋଗୁ ମାଟି ଅତଡା ଖସିବା ସହ ଭୂସ୍ଖଳନ ହେବା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଂଟାରେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ ସର୍ବାଧିକ ୧୧୩ ଦଶମିକ ୪ ମିଲିମିଟର ବର୍ଷା ହୋଇଛି ।