ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯଶସ୍ୱୀ ଲେଖକ ପଦ୍ମଭୂଷଣ ମନୋଜ ଦାସ ଅସୁସ୍ଥ ଥିବା ଜଣାପଡ଼ିଛି। ଏବେ ସେ ପଣ୍ଡିଚେରିର ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।
ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବା ଯୋଗୁଁ ଶ୍ରୀ ଦାସ ଗତ ପ୍ରାୟ ତିନି ମାସ ହେଲା ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଗତକାଲିଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଚାନକ ଅବନତି ପରିଲକ୍ଷିତ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ତେବେ ଏକ ଡାକ୍ତରୀଦଳ ତାଙ୍କ ଚିକିତ୍ସାରେ ଲାଗିଥିବାବେଳେ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ରାଜ୍ୟର ବହୁ ଲେଖକ, ପାଠକ ଓ ପ୍ରଶଂସକ ଶ୍ରୀ ଦାସଙ୍କ ଆରୋଗ୍ୟ କାମନା କରି ଈଶ୍ବରଙ୍କୁ ପ୍ରାର୍ଥନା କରିଛନ୍ତି।