ରାଜନୈତିକ ପସାପାଲିରେ ଗୋଟି ଚାଳନା, ବିଜେପି ଓ କଂଗ୍ରେସ କୁ ଚଟାଇଲେ ଧୂଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଦ୍ୟ ଭାବେ କଂଗ୍ରେସ ଛାଡି ଥିବା ନବ ଦାସ ବିଜେଡି ରେ ଯୋଗ ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଝାରସୁଗୁଡ଼ା ବିଜେଡି ନେତା କିଶୋର ମହାନ୍ତି ଓ ନବ ଦାସ ଙ୍କ ସମ୍ପର୍କ ସମ୍ୱନ୍ଧରେ ସମସ୍ତେ ଜାଣନ୍ତି । ଜଣକ ଛାଇ ପଡିଲେ ଅନ୍ୟ ଜଣଙ୍କ ନାହି ଡ଼ିଏଁ । ତେଣୁ ହଠାତ ବିଜେଡି ନବଙ୍କୁ କୋଳାଇବା କିଶୋର ଏବଂ ତାଙ୍କ ସମର୍ଥକଙ୍କ ପାଇଁ ଏତେ ସହଜ ହେଉନାହିଁ । ଆସନ୍ତା ୨୪ ତାରିଖରେ ଝାରସୁଗୁଡ଼ା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶିଳାନ୍ୟାସ ହେବାକୁ ଥିବା କ୍ୟାନ୍ସର ହସ୍ପିଟାଲ, ରେଲୱେ ଓଭର ବ୍ରିଜ ଓ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ରମ ସମୟରେ ପୂର୍ବତନ କଂଗ୍ରେସ ନେତା ନବ ଦାସ ଓ ଯୋଗେଶ ସିଂ ବିଜେଡିରେ ଯୋଗଦାନ ଦେବାର ସ୍ଥିର ହୋଇଛି । ଯାହାକୁ ନେଇ କିଶୋର ମହାନ୍ତିଙ୍କ ସମର୍ଥକ ଅସନ୍ତୋଷ ଥିବା ଖବର ପାଇ ବୁଧବାର ରାତିରେ ଝାରସୁଗୁଡ଼ା ରେ ପହଞ୍ଚି ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ ଯେପରି କୌଣସି ପ୍ରତିବାଦର ସ୍ବର ଉତ୍ତୋଳନ ନହୁଏ ସେଥିପ୍ରତି ତୀକ୍ଷ ଦୃଷ୍ଟି ରଖି କିଶୋର ମହାନ୍ତିଙ୍କ ସମର୍ଥକଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସଫଳ ହେବାସହ କିଶୋର ମହାନ୍ତିଙ୍କ ସମର୍ଥକମାନେ ନିଜ ମନୋମାଳିନ୍ୟ ଭୁଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସହୃଦୟେ ସ୍ୱୀକାର କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଜେପିର ମିଶନ ୧୨୦ କୁ ମାତ ଦେବାକୁ ବିଜେଡି ଖେଳୁଛି ଖେଳ । ଯେପରି ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଧୂଳି ଚଟାଇବ ଓ କଂଗ୍ରେସ କୁ ନେତା ଶୂନ୍ୟ କରି ବିଜେଡି ନିଜର କୌଣସି ପ୍ରତିଦ୍ବନ୍ଦୀ ନରଖିବ ଏହି କାର୍ଯ୍ୟରେ ଲାଗିପଡିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । କେବଳ ନବ ଦାସ କି ଯୋଗେଶ ସିଂ ନୁହନ୍ତି ପ୍ରକାଶ ବେହେରା ଓ ଅଂଶୁମାନ ମହାନ୍ତିଙ୍କ ପରି ଅନେକ କଂଗ୍ରେସ ନେତା ପ୍ରଣବଙ୍କ ଯୋଗାଯୋଗରେ ଅଛନ୍ତି । ଯେ କୌଣସି ମୁହୂର୍ତ୍ତରେ କଂଗ୍ରେସ ନେତା ଶୂନ୍ୟ ହୋଇଯିବା ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । କେବଳ କଂଗ୍ରେସ କାହିଁକି ପଞ୍ଚାୟତ ନିର୍ବାଚନ ପରଠାରୁ ଜୋସରେ ଥିବା ବିଜେପି ରେ ଅବସ୍ଥା ମଧ୍ୟ ଭଲ ନାହିଁ କାରଣ ପ୍ରଧାନମନ୍ତ୍ରୀ ଏହା ମଧ୍ୟରେ ତିନିଥର ଓଡ଼ିଶା ଗ୍ରସ୍ତରେ ଆସିଲେଣି । ରାଜ୍ୟ ବିଜେପି କର୍ମୀଙ୍କ ଆଶା ଥିଲା ପ୍ରଧାନମନ୍ତ୍ରୀ ଆସିବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ତାହାକୁ ଆଧାର କରି ଆଗାମୀ ସାଧାରଣ ନିର୍ବାଚନ ସେମାନେ ଲଢ଼ିବେ । ମାତ୍ର ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆଟାକ କରିବା ତ ଦୂରର କଥା ସିଧାସଳଖ ସମାଲୋଚନା ମଧ୍ୟ କଲେନି ଯାହାକି ରାଜ୍ୟ ବିଜେପି କର୍ମୀଙ୍କ ମନବଳ ଭାଙ୍ଗିଦେବା ସହ ସେମାନଙ୍କୁ ଦ୍ଵନ୍ଦରେ ପକାଇଛି । ତେଣୁ ବିଶେଷ ସୂତ୍ରରୁ ଖବର ମୁତାବକ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଓ ଅନେକ ତୁଙ୍ଗ ନେତା ମଧ୍ୟ ବିଜେଡି ଆଡକୁ ଢଳି ବିଜେଡି ରାଜନୀତିର ମାଷ୍ଟର ମାଇଣ୍ଡ ପ୍ରଣବଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଏଥର ସାଧାରଣ ନିର୍ବାଚନରେ ବିଜେପିକୁ ଧୂଳି ଚଟାଇବ ଓ କଂଗ୍ରେସକୁ ନେତା ଶୂନ୍ୟ କରିବ ବିଜେଡି ।

Leave A Reply

Your email address will not be published.