ପୋଲିସକୁ ଧକ୍କାମାରି ଡକାୟତ ଫେରାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସର ଖାମଖିଆଲ ନୀତିର ଫାଇଦା ଉଠାଇ ବାରମ୍ବାର କଏଦୀ ଚମ୍ପଟ ମାରୁଛନ୍ତି । ତଥାପି ମଧ୍ୟ ନିଜ କାର୍ଯ୍ୟ ପ୍ରତି ନିଷ୍ଠାର ଅଭାବରୁ ସମାନ ଘଟଣା ଘଟି ଚଲିଛି । କଥାରେ ଅଛି ‘ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ’।କାରଣ କିଛି ଦିନ ତଳେ ନୂଆପଡ଼ାରେ କନ୍‌ଷ୍ଟେବଲ୍‌ଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଜଣେ ହାର୍ଡକୋର ମାଓବାଦୀ ଚମ୍ପଟ ମାରିଥିଲା । ସେହିପରି ଆଜି ଜଣେ ଡକାୟତ ଯେକି ଗଞ୍ଜାମ ଜିଲ୍ଲା କୋଦଳା ଜେଲ୍‌ ରେ କଏଦୀ ଭାବରେ ରହୁଥିଲା ଜେଲ୍‌ ଗେଟ୍‌ରେ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ଏକ ଡକାୟତି ମାମଲାରେ ସେପ୍ଟେମ୍ୱର ୧ ତାରିଖରେ ସନ୍ତୋଷ ବେହେରା ନାମକ ଜଣେ ଡକାୟତ ଓ ତାଙ୍କ ୫ ଜଣ ସହଯୋଗୀଙ୍କୁ ପୋଲିସ କବିସୂର୍ଯ୍ୟନଗରରୁ ଗିରଫ କରିଥିଲା । ସନ୍ତୋଷ ଗଞ୍ଜାମ ଜିଲ୍ଲା କୋଦଳା ସବ୍‌ଜେଲ୍‌ରେ ରହୁଥିଲା । ଆଜି ଜେଲ୍‌ ଗେଟ୍‌ ଜଗିଥିବା ପୋଲିସ କର୍ମଚାରୀଙ୍କ ଅସାବଧାନତା ର ସୁଯୋଗ ନେଇ ସନ୍ତୋଷ ତାଙ୍କୁ ଧକ୍କା ମାରିଥିଲା । ଫଳରେ ପୋଲିସ କର୍ମଚାରୀ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ଏହାର ଫାଇଦା ଉଠାଇ ସନ୍ତୋଷ ସେ ସ୍ଥାନରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ସନ୍ତୋଷକୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜରିରଖିଥିଲେ ମଧ୍ୟ ତାର କୌଣସି ଖୋଜଖବର ପୋଲିସକୁ ମିଳିପାରିନାହିଁ ।

ସେହିପରି ଗତ ୧୧ ତାରିଖରେ ଭଞ୍ଜନଗର ସବ୍‌ଜେଲ୍‌ରୁ ବାବୁ ବେହେରା ନାମକ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ତାର ଏପର୍ଯ୍ୟନ୍ତ ଟେର ପାଇନାହିଁ ।

Leave A Reply

Your email address will not be published.