ମହୁମାଛି ପାଳନ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ : ମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି । ଯାହାଫଳରେ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ ହେବ । ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଯୁବକ ଓ ଯୁବତୀମାନେ ମହୁମାଛି ପାଳନକୁ ନିଜ ଆୟ ବୃଦ୍ଧିର ମାଧ୍ୟମ ଭାବରେ ଗ୍ରହଣ କରିପାରିବେ । ଏଥିପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ପଡ଼ିବ । ଗତକାଲି କୃଷି ଭବନଠାରେ ଆୟୋଜିତ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସଞ୍ଚନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ଏହିପରି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। 

ସେହିପରି ମନ୍ତ୍ରୀ ଶ୍ରୀ ସାହୁ କହିଲେ ଯେ, ଓଡ଼ିଶାରେ ୧୫ ଲକ୍ଷରୁ ଅଧିକ ମହୁମାଛି ଦଳ ପାଳନ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ବୈଜ୍ଞାନିକ ଭିତ୍ତିରେ ମହୁମାଛି ପାଳନ ନିମନ୍ତେ ରାଜ୍ୟ ସରକାର ଅନେକପ୍ରୋତ୍ସାହନ ଦେଉଛନ୍ତି । ତେଣୁ ରାଜ୍ୟର ଯୁବକ ଯୁବତିମାନଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ମହୁମାଛି ପାଳନ ଏକ ପ୍ରକୃଷ୍ଟ ମାଧ୍ୟମ । ମହୁମାଛିକୁ ବ୍ୟବସାୟଭିତ୍ତିକ, ଆନୁଷଙ୍ଗିକ ରୋଜଗାର କିମ୍ବା ଜୀବିକାର୍ଜନର ପନ୍ଥା ଭାବେ ଗ୍ରହଣ କରାଯାଇ ପାରିବ। ରାଜ୍ୟରେ ମିଳୁଥିବା ମହୁ ଉତ୍କଷ୍ଟ ମାନର ହୋଇଥିବାରୁ ଏହାର ବଜାର ଚାହିଦା ରହିଛି । ଅଧିକ ମହୁମାଛି ପାଳନ ଦ୍ୱାରା ମହୁ ଉତ୍ପାଦନ ବୃଦ୍ଧି ପାଇବା ସହିତ ପରାଗ ସଙ୍ଗମ ଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଇବ । ଯାହାଫଳରେ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ ହେବ ।

ଏହି କର୍ମଶାଳାରେ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହା ପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.