ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହ ମୁଲତବୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚଦଶ ବିଧାନସଭାରେ ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଆରମ୍ଭରେ ଦିବଂଗତ ନେତା, ଜବାନ୍ ଓ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ ।ପରଲୋକଗତ ଆତ୍ମାଙ୍କ ପାଇଁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା ଶୋକ ପ୍ରସ୍ତାବ ଆଲୋଚନା ପରେ ବିରୋଧୀ କଂଗ୍ରେସ ଓ ଭାଜପା ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପୂର୍ବରୁ ଚାଷୀ ପ୍ରସଙ୍ଗ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, କେ. ସୂର୍ଯ୍ୟ ରାଓ, ପ୍ରଫୁଲ ମାଝି, ଚନ୍ଦ୍ରଶେଖର ମାଝି ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଭାଜପା ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଗୃହକୁ ୧୧ଟା ୧୪ରୁ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଚାଷୀଙ୍କ ସମସ୍ୟା ନେଇ ବିରୋଧୀ ଓ ଭାଜପା ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ବିଧାନସଭା ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ ନଭେମ୍ବର ୨୧ରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ, ୨୩ ରେ ରାସପୂର୍ଣ୍ଣିମା ଯୋଗୁ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ଡିସେମ୍ବର ୮ ଓ ୯ ମାସର ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ଗୃହ କାର୍ଯ୍ୟ ବନ୍ଦ ରହିବ । 

Leave A Reply

Your email address will not be published.