ଅଲୋଡ଼ା ଶ୍ରୀକାନ୍ତଙ୍କ ଭବିଷ୍ୟତ କେଉଁ ଦିଗରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା କରାଯିବା ପରେ ଆଜି ସେ ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ଏ ସମ୍ୱନ୍ଧରେ ଅବଗତ କରାଇଥିବା କଥା କହିଛନ୍ତି ।

ପୂର୍ବରୁ ବାରମ୍ବାର ରାଜ୍ୟ କଂଗ୍ରେସ ର ସାଙ୍ଗଠନିକ ସ୍ଥିତି କୁ ନେଇ ଉପହାସ କରି ଆସୁଥିବା ଶ୍ରୀକାନ୍ତ ଙ୍କୁ ମହଙ୍ଗା ପଡିଥିଲା । ତାଙ୍କ ଉପରେ ପଡିଥିଲା ଏଆଇସିସି ଛାଟ । ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦୀୟ ହୋଇପଡ଼ିଥିଲେ ଶ୍ରୀକାନ୍ତ । ଏହାସହ କୃଷ୍ଣ ସଗରିଆଙ୍କୁ ମଧ୍ୟ ଶ୍ରୀକାନ୍ତ ଉସୁକାଉଥିଲେ ବୋଲି ଦଳରେ ଅଭିଯୋଗ ହେଉଥିଲା । ପୂର୍ବରୁ ଦଳରେ ଥାଇ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶ୍ରୀକାନ୍ତଙ୍କ ନାଁରେ ହାଇକମାଣ୍ଡ ଙ୍କ ପାଖରେ ଅଭିଯୋଗ ହୋଇ ଥିଲା । ଏହି ଅଭିଯୋଗକୁ ହାଇକମାଣ୍ଡ ଏଥର ଗମ୍ଭୀରତା ସହ ନେଇ ନୂତନ ଭାବେ ଗଠିତ ଇସ୍ତାହାର କମିଟିରୁ ଶ୍ରୀକାନ୍ତଙ୍କୁ ବିଦା କରିଥିଲେ । ଏହାପରେ ଶ୍ରୀକାନ୍ତ ନରମିବା ପରିବର୍ତ୍ତେ କହିଥିଲେ ଇସ୍ତାହାର ମୁଖବନ୍ଧକୁ ନେଇ ସେ ଦେଇଥିବା ପ୍ରସ୍ତାବକୁ ଦଳ ଗ୍ରହଣ ନକଲେ ରାଜ୍ୟରେ ପଙ୍ଗୁ ହୋଇଯିବ । ଏହାସହ ରାଜ୍ୟରେ ଚାଲି ଆସିଥିବା ଦୁଇଟି ପରିବାରର ଶାସନ ଧାରାକୁ ରୋକିବାକୁ ଜନସାଧାରଣଙ୍କୁ ସେ ଆହ୍ବାନ କରିଥିଲେ ।

ସେ ଯାହା ହେଉନା କାହିଁକି ଆଗାମୀ ନିର୍ବାଚନ ପାଇଁ ସବୁଦଳ ନିଜ ସଂଗଠନ କୁ ସୁଦୃଢ କରୁଥିବା ବେଳେ ଶ୍ରୀକାନ୍ତ ଙ୍କ ନିଆଁ ରାଜ୍ୟ କଂଗ୍ରେସ କୁ ଆଗକୁ ନେଉଛି ନା କ୍ଷତି ପହଁଚାଉଛି ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.