ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଘୂରିବୁଲୁଥିବା ହିଂସ୍ର ଦନ୍ତା ପୁଣି ଜଣେ ମହିଳାଙ୍କୁ କଚାଡ଼ି ମାରିଛି । ମୃତକ ହେଲେ କନ୍ଦରସିଂହା ପଞ୍ଚାୟତ ମଝିକା ଝରାସାହିର ଚାଣ୍ଟି ବେହେରା । ଏଥିରେ ତାଙ୍କ ସ୍ବାମୀ ସୁରେଶ ଗୁରୁତର ହୋଇଛନ୍ତି । ହାତୀ ଆକ୍ରମଣରେ ତାଙ୍କ ଡାହାଣ ହାତ ଓ ଗୋଡ଼ ଦୁଇଖଣ୍ଡ ହୋଇଯାଇଛି । ଗତ ୪ ଦିନ ମଧ୍ୟରେ ଦନ୍ତା ଆକ୍ରମଣରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । 

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ସୁରେଶ ଏବଂ ଚାଣ୍ଟି ଧାନ କାଟି ଫେରୁଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ଚାଣ୍ଟିକୁ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପ୍ରାଣ ବିକଳରେ ସୁରେଶ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ହାତୀ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ଏଥିରେ ତାଙ୍କ ଡାହାଣ ହାତ ଏବଂ ଗୋଡ଼ର ହାଡ଼ ଦୁଇଖଣ୍ଡ ହୋଇଯାଇଛି। ମୂମୂର୍ଷୁ ଅବସ୍ଥାରେ ସୁରେଶ କିଛି ବାଟ ଆାସି ଏ ନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ । ବନ ବିଭାଗ ଗାଡ଼ିରେ ତାଙ୍କୁ ତୁରନ୍ତ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତ୍ୟନ୍ତ ସଙ୍ଗିନ ଥିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ଲାଗି ତାଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯାଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.