ସ୍ବତନ୍ତ୍ର ପ୍ରଦେଶ ଦାବିରେ କୋଶଳ ମହାବନ୍ଦ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ହୋଇଛି । କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲ୍ଲାରେ ପୂର୍ଣ୍ଣ ସମର୍ଥନ ମିଳିଛି । ଜିଲ୍ଲାର ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡ଼େ ବନ୍ଦର ପ୍ରଭାବ ଅନୂଭୁତ ହୋଇଛି । ଜିଲ୍ଲା ଓକିଲ ସଂଘ ସମେତ ବଣିକ ସଂଘ, ଚେତନା, ବରଗଡ଼ ସାମ୍ବାଦିକ ସଂଘ, ବସ ମାଲିକ ସଂଘ, ଅଟୋ ମାଲିକ ସଂଘ, ବଦାନ୍ୟ ବନ୍ଧୁ, ଗୋପବନ୍ଧୁ ହସ୍ତପାଦ ଭିନ୍ନକ୍ଷମ ସଂଘ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଛାତ୍ର ଓ ଯୁବ ସଂଗଠନ କୋଶଳ ମହାବନ୍ଦକୁ ସମର୍ଥନ କରିଛନ୍ତି । ମହାବନ୍ଦ ଯୋଗୁଁ ସକାଳ ୬ଟାରୁ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି । ଫଳରେ ସହର ସମେତ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା । ସରକାରୀ, ବେସରକାରୀ ଦପ୍ତର ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ । ଲଗାଣ ଝିପିଝିପି ବର୍ଷା ସତ୍ତ୍ବେ କୋସଲ ରାଜ୍ୟ ସମନ୍ବୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ପିକେଟିଂ କରୁଥିବାବେଳେ ସରକାରୀ, ବେସରକାରୀ ଦପ୍ତରଗୁଡ଼ିକ ମଧ୍ୟ ଖୋଲି ନାହିଁ । ତେବେ ଏହି ମହାବନ୍ଦରୁ ଜରୁରୀକାଳୀନ ସେବା ସମେତ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦୃଷ୍ଟିରୁ ରେଳସେବାକୁ ବାଦ ଦିଆଯାଇଛି ବୋଲି କୋଶଳ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ସମ୍ପାଦକ ସୁନିଲ ପୁରୋହିତ କହିଛନ୍ତି ।

Leave A Reply

Your email address will not be published.