ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ସରିଲା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ)  : ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି । ସକାଳ ୯ଟା ୪୬ ମିନିଟରେ ଏହା ଓଡ଼ିଶାରେ ସର୍ବାଧିକ ଅଂଶରେ ଦେଖାଯାଇଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେଇଥିଲା । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହୋଇଥିଲା। ମାତ୍ର ଏହି ବିରଳ ଦୃଶ୍ୟକୁ ଆକାଶ ମେଘାଚ୍ଛନ୍ନ ଥିବାରୁ ଦର୍ଶକ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

ତେଣେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି । ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ । ଗତକାଲି ରାତି ୮ଟା ୨୦ ସୁଦ୍ଧା ସଂଧ୍ୟାଧୂପ, ମଇଲମ ଓ ତଡ଼ପଲାଗି ନୀତି ଶେଷ ‌ପରେ ବାକି ସମସ୍ତ ନୀତି ବନ୍ଦ ରହିଥିଲା। ନୀତି ବନ୍ଦ ରହିଥିବାରୁ ବୁଧବାର ରାତିରେ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇପାରି ନଥିଲା, ଯେଉଁଥିପାଇଁ ରାତିସାରା ଶ୍ରୀମନ୍ଦିର ଖୋଲାରହିଥିଲା।

Leave A Reply

Your email address will not be published.