ସାଂସଦ ଅପରାଜିତାଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲା ଯୁବ ଉତ୍କଳ ଫାଉଣ୍ଡେସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ରାସ୍ତା କଡରେ ଏବଂ ଦୋକାନ ବାରଣ୍ଡାରେ ଦେଖିବାକୁ ମିଳୁଛନ୍ତି ଅନେକ ନିରାଶ୍ରୟ ଓ ବାସହରା ବ୍ୟକ୍ତି । କାରଣ କିଛି ସଙ୍ଗଠନ ଓ ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରୁଛନ୍ତି । ତେଣୁ ସେମାନେ ବିଏମସି ପକ୍ଷରୁ ନିର୍ମାଣ ଆଶ୍ରୟସ୍ଥଳୀକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏନେଇ ଯୁବ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ବିଏମ୍‌ସିକୁ ଅବଗତ କରାଯାଇଥିଲା ।

ଏହା ପରେ ଗତ ମଙ୍ଗଳବାର ଦିନ ବିଏମ୍‌ସି ଏକ ନିଷ୍ପତ୍ତି ନେଇଛି । ଭୁବନେଶ୍ୱର ରାସ୍ତାକଡ଼ରେ ରହୁଥିବା ନିରାଶ୍ରୟ ଲୋକଙ୍କୁ କେହି ଖାଦ୍ୟ ବାଣ୍ଟିପାରିବେ ନାହିଁ । ଯଦି ସରକାରଙ୍କ ବିଏମ୍‌ସିର ବିନା ଅନୁମତିରେ କେହି ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟେ, ତେବେ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ନୋଟିସ ଜାରି କରାଯାଇଛି ।

ଏହି ନୋଟିସ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଚତୁରତାର ସହ ନିଜ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଜରିଆରେ ରାଜଧାନୀ ବାସହରାଙ୍କୁ ମାଗଣାରେ ବଣ୍ଟାଯାଉଥିବା ଖାଦ୍ୟ ପାଇଁ ଏକ ଟଙ୍କା ଧାର୍ଯ୍ୟ କରିଛନ୍ତି । ଫଳରେ ବିଏମ୍‌ସି ଆଉ ଏହି କାର୍ଯ୍ୟକ୍ରମ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ସାଂସଦ ଅପରାଜିତାଙ୍କ ଭୁବନେଶ୍ୱର ବାସହରାଙ୍କ ପାଇଁ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଏକ ଉନ୍ନତ ପଦକ୍ଷେପ । ମାତ୍ର ଭୁବନେଶ୍ୱର ସାଂସଦ କଣ ପ୍ରକୃତରେ ନିରାଶ୍ରୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଯୁବ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ପ୍ରଶ୍ନ କରାଯାଉଛି । ଯଦି ସାଂସଦ ପ୍ରକୃତରେ ନିରାଶ୍ରୟଙ୍କ ପ୍ରତି ସମ୍ବେଦନଶୀଳ ତେବେ ସେ ସେମାନଙ୍କ ପାଇଁ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଉଚିତ ବୋଲି ଯୁବ ଉତ୍କଳ ଫାଉଣ୍ଡେସନ ମତ ଦେଉଛି । ଯେଉଁ ସ୍ଥାନରେ ସେମାନେ ସମସ୍ତ ପ୍ରକାର ସୁବିଧା ପାଇପାରିବେ ଓ ଏକ ସୁସ୍ଥ ଜୀବନ ବିତାଇ ପାରିବେ । ଯଦି ଏସମସ୍ତ ଦିଗ ସମ୍ୱନ୍ଧରେ ସାଂସଦ ଅବଗତ ହେବାପରେ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଜାରି ରଖନ୍ତି ତେବେ ଏହା ସ୍ପଷ୍ଟ ହୋଇଯିବ ଯେ, ସାଂସଦ ଅପରାଜିତା ଭୁବନେଶ୍ୱର ବାସହରା ଓ ଭିକାରୀ ମୁକ୍ତ ହେଉ ବୋଲି ଚାହୁଁ ନାହାନ୍ତି ।

ତେଣୁ ଯୁବ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସବିନୟ ନିବେଦନ କରାଯାଉଛି କି, ଯେଉଁ ବଦାନ୍ୟ ବ୍ୟକ୍ତି ଭୁବନେଶ୍ୱର ରାସ୍ତା କଡରେ ରହୁଥିବା ନିରାଶ୍ରୟ ବ୍ୟକ୍ତିଙ୍କୁ ଖାଦ୍ୟ ଓ ଶୀତବସ୍ତ୍ର ଦାନ କରୁଛନ୍ତି ସେମାନେ ଏଥିରୁ ଦୟାକରି ନିବୃତ୍ତ ରୁହନ୍ତୁ । ଯଦି ସେମାନେ ଏପରି ଦାନ କରିବେ ତେବେ ନିରାଶ୍ରୟ ବ୍ୟକ୍ତି ମାନେ ଉକ୍ତ ସ୍ଥାନ ଛାଡି ସରକାରଙ୍କ ଦ୍ୱାରା ନିର୍ମିତ ଆଶ୍ରୟ ସ୍ଥଳୀକୁ ଯିବେନାହିଁ । ଫଳରେ ରାଜ୍ୟ ସରକାରଙ୍କ ଦ୍ଵାରା ଭିକାରୀ ମୁକ୍ତ ଭୁବନେଶ୍ୱର ହୋଇପାରିବ ନାହିଁ ।

Leave A Reply

Your email address will not be published.